ପୂର୍ବତନ ଫୁଟବଲରଙ୍କୁ ସମ୍ମାନ, MMFCର ଚାମ୍ପିୟନ୍ ଅଭିଯାନର ସଫଳ ପରିସମାପ୍ତି
Nuapada (ନୂଆପଡ଼ା)ରିପୋର୍ଟର: ମଳୟ ମେହେର, ସିନାପାଲିJune 10, 2026134 views

ସିନାପାଲି ଅଞ୍ଚଳରେ ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ କ୍ରୀଡ଼ା ଉନ୍ମାଦନା ସୃଷ୍ଟି କରିଥିବା ୨ୟ MMFC ଫ୍ଲଡ୍ ଲାଇଟ୍ ଫୁଟସାଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ ର ଗ୍ରାଣ୍ଡ ଫାଇନାଲ୍ ମ୍ୟାଚ୍ ମଙ୍ଗଳବାର ସନ୍ଧ୍ୟାରେ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ, ସିନାପାଲିରେ ଅନୁଷ୍ଠିତ ହୋଇଥିଲା । MMFC ସିନାପାଲି ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ରେ MMFC ସିନାପାଲି ଓ ଭେଲ୍ଲା ଦଳ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଥିଲା ।
ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିବା ବେଳେ ମ୍ୟାଚ୍ଟି ଅତ୍ୟନ୍ତ ରୋମାଞ୍ଚକର ହୋଇଉଠିଥିଲା । ଦ୍ବିତୀୟ ହାଫରେ MMFC ସିନାପାଲି ୧-୦ ଗୋଲରେ ଭେଲ୍ଲାକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ୍ ମୁକୁଟ ହାସଲ କରିଥିଲା । ବିଜେତା ଦଳକୁ ୭,୦୦୦ ଟଙ୍କା ନଗଦ ରାଶି ସହ ଟ୍ରଫି ଏବଂ ରନର୍ସଅପ୍ ଭେଲ୍ଲା ଦଳକୁ ୫,୦୦୦ ଟଙ୍କା ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା ।
ଏଥିରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ବିକାଶ ପାଇଁ ଏପରି ଆୟୋଜନର ଭୂମିକାକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ସୁବ୍ରତ ଠାକୁର, ମୀନା ଘିଭେଲା, ବ୍ଲକ ଉପାଧ୍ୟାକ୍ଷା, ମନୀଷ କୁମାର ପଟେଲ, ସମିତି ସଭ୍ୟ, ଏବିଡିଓ ସୁବ୍ରତ କୁମାର ବେହେରା, ଅରିଗଞ୍ଜନ ଯୋଶୀ, ଘଣ୍ଟିଗୁଡ଼ା ସରପଞ୍ଚ ଖୁଟୁରାମ ସୁନାନୀ, ଚଟିଆଗୁଡ଼ା ସରପଞ୍ଚ ପ୍ରତିନିଧି ସଞ୍ଜୀବ ପାତ୍ର, ସୁପୁଚ୍ଛା ମାଉଲି ପାଣିଗ୍ରାହୀ ଓ ଶରତ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଗ୍ରାଣ୍ଡ ଫାଇନାଲ୍ ଅବସରରେ ସିନାପାଲି ଅଞ୍ଚଳର ୧୦ ଜଣ ପୂର୍ବତନ ଫୁଟବଲ୍ ଖେଳାଳିଙ୍କୁ ସେମାନଙ୍କ କ୍ରୀଡ଼ା ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା, ଯାହା କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ପାଲଟିଥିଲା ।
ବ୍ୟକ୍ତିଗତ ପୁରସ୍କାର ବିଭାଗରେ ଶଙ୍କର ସୁନା “ମ୍ୟାନ୍ ଅଫ୍ ଦ ସିରିଜ୍”, “ମ୍ୟାନ୍ ଅଫ୍ ଦ ଫାଇନାଲ୍” ଏବଂ “ବେଷ୍ଟ ସ୍କୋରର୍” ଭାବେ ତିନୋଟି ସମ୍ମାନ ହାସଲ କରିଥିଲେ । ଭେଲ୍ଲା ଦଳ “ବେଷ୍ଟ ଡିସିପ୍ଲିନ୍ ଟିମ୍” ସମ୍ମାନ ପାଇଥିବା ବେଳେ ଭେଲ୍ଲାର ଯୁବ ଖେଳାଳି ପ୍ରଦ୍ୟୁମ୍ନ “ଏମର୍ଜିଙ୍ଗ ପ୍ଲେୟର୍” ପୁରସ୍କାର ଅର୍ଜନ କରିଥିଲେ ।
ମ୍ୟାଚ୍କୁ ରିକୁ ମାଝୀ, ଚନ୍ଦ୍ର ମାଝୀ, ବିହାରୀଲାଲ ମସରା ଓ ସୁମନ ମାଝୀ ପରିଚାଳନା କରିଥିବା ବେଳେ ଜାତୀୟ ସ୍ତରୀୟ ଭାଷ୍ୟକାର ପ୍ରକାଶ ଚନ୍ଦ୍ର ପାତ୍ର ଓ ଭାସ୍କର ମାଝୀ ଆକର୍ଷଣୀୟ ଧାରାବିବରଣୀ ପ୍ରଦାନ କରିଥିଲେ । ଫାଇନାଲ୍ ମ୍ୟାଚ୍ର ସିଧା ପ୍ରସାରଣ ଏସ୍ଡି ବ୍ରଡକାଷ୍ଟ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ କରାଯାଇଥିଲା, ଯାହାକୁ ଅନଲାଇନରେ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ଫ୍ଲଡ୍ ଲାଇଟ୍ ଫୁଟସାଲ୍ ଟୁର୍ଣ୍ଣାମେଣ୍ଟ ସିନାପାଲି ଅଞ୍ଚଳରେ କ୍ରୀଡ଼ା ପ୍ରତିଭା ବିକାଶ, ଯୁବପିଢ଼ୀଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ଏବଂ ଭାଇଚାରାର ବାର୍ତ୍ତା ପ୍ରସାର କରିବାରେ ସଫଳ ହୋଇଛି ।
