ଜିଓ ଟାୱାରରୁ ତମ୍ବା ତାର ଚୋରି ଉଦ୍ୟମ ପଣ୍ଡ: ଦୁଇ ଅଭିଯୁକ୍ତ ଗିରଫ, ୫୪ କେଜି ତମ୍ବା ତାର ଜବତ
Nuapada (ନୂଆପଡ଼ା)ରିପୋର୍ଟର: ମଳୟ ମେହେରJune 9, 202697 views

ନୂଆପଡ଼ା ଜିଲ୍ଲାରେ ଟେଲିକମ୍ ଭିତ୍ତିଭୂମିକୁ ଟାର୍ଗେଟ୍ କରି ଚାଲିଥିବା ଚୋରି ଘଟଣା ବିରୋଧରେ ପୋଲିସକୁ ବଡ଼ ସଫଳତା ମିଳିଛି । ଦେଦେଇ ଗ୍ରାମ ନିକଟସ୍ଥ ଜିଓ ଟାୱାରରୁ ତାମ୍ବା ତାର ଚୋରି ଉଦ୍ୟମ ଘଟଣାର ପର୍ଦ୍ଦାଫାଶ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବହୁ ଚୋରି ସାମଗ୍ରୀ ଜବତ କରିଛି ନୂଆପଡ଼ା ପୋଲିସ ।
ପୋଲିସ ସୂତ୍ରରୁ ପ୍ରକାଶ, ଗତ ୭ ଜୁନ୍ ଭୋର ପ୍ରାୟ ୨ଟା ସମୟରେ ଦେଦେଇ ଗ୍ରାମ ନିକଟରେ ଥିବା ଜିଓ ଟାୱାରରେ ଚୋରି ଉଦ୍ୟମ ସମ୍ପର୍କରେ ବିଶ୍ୱସ୍ତ ସୂଚନା ମିଳିଥିଲା । ସୂଚନା ପାଇବା ମାତ୍ରେ ନୂଆପଡ଼ା ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ଟାୱାରର ଟେକ୍ନିସିଆନ୍ ଘଟଣାସ୍ଥଳରେ ପହଞ୍ଚିବା ବେଳେ ଦୁଇ ଜଣ ଅଜଣା ବ୍ୟକ୍ତି ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ ।
ପରବର୍ତ୍ତୀ ଯାଞ୍ଚରୁ ଜଣାପଡ଼ିଥିଲା ଯେ, ଟାୱାରର ଜେନେରେଟରକୁ ଭାଙ୍ଗି ଚୋରି କରିବା ପାଇଁ ଉଦ୍ୟମ କରାଯାଇଥିଲା । ଫେରାର ସମୟରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରେ ଏକ ମୋଟରସାଇକେଲ, ଗାମୁଛା, ସ୍ପାନର, ସ୍କ୍ରୁ ଡ୍ରାଇଭର, ଚପଲ ଓ ଅନ୍ୟାନ୍ୟ ସାମଗ୍ରୀ ଛାଡ଼ି ପଳାଇଥିଲେ । ପୋଲିସ ସେଗୁଡ଼ିକୁ ଜବତ କରି ବୈଷୟିକ ତଦନ୍ତ ଓ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚିଥିଲା ।
ତଦନ୍ତରୁ ମିଳିଥିବା ସୂତ୍ର ଆଧାରରେ କୋମନା ପୋଲିସର ସହଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ୫୪ କେଜି ତାମ୍ବା ତାର, ଏକ ସ୍କାଇ ବ୍ଲୁ ରଙ୍ଗର ଭିଭୋ ଭି୪୦ ମୋବାଇଲ ଫୋନ୍ ଏବଂ ଚୋରିରେ ବ୍ୟବହୃତ ଏକ ଧୂସର ରଙ୍ଗର ୟାମାହା FZS ମୋଟରସାଇକେଲ (ନମ୍ବର- OD-03-AE-5171) ଜବତ କରାଯାଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଘାଗରା ଗ୍ରାମର ଜାଦୁ ରୋହିଦାସ (୨୪) ଏବଂ ଚନ୍ଦା ମାଝୀ (୧୯)। ପୋଲିସ ରେକର୍ଡ ଅନୁଯାୟୀ, ଉଭୟଙ୍କ ବିରୋଧରେ ପୂର୍ବରୁ ଜୋଙ୍କ ଓ ଲାଠୋର ଥାନାରେ ଅପରାଧିକ ମାମଲା ରହିଛି ।
ଏହି ଘଟଣାରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ ଏବଂ ଅନ୍ୟ ସମାନ ଚୋରି ଘଟଣା ସହ ସେମାନଙ୍କର ସମ୍ପର୍କ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।
ଟେଲିକମ୍ ଭିତ୍ତିଭୂମି ଉପରେ ଆକ୍ରମଣକୁ ଗୁରୁତର ଭାବେ ନେଇ ନୂଆପଡ଼ା ପୋଲିସର ଏହି ତ୍ୱରିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି ।
