ବିଜୁ ଏକ୍ସପ୍ରେସ ୱେ ଜରାଜୀର୍ଣ୍ଣ ରାସ୍ତାର ଆଉ ଏକ ବଳି: ଜଣେ ମୃତ, ୩ ଗୁରୁତର
Nuapada (ନୂଆପଡ଼ା)ମଳୟ ମେହେର, ସିନାପାଲିJune 7, 2026142 views

ସିନାପାଲି: ବୋଡ଼େନ, ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବୋଲଧାମାଳ ନିକଟ ବିଜୁ ଏକ୍ସପ୍ରେସ ୱେରେ ଶନିବାର ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଜୀବନ ନେଇଥିବାବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ତମ୍ବାଛଡ଼ା ଗ୍ରାମର ତପନ ପାତ୍ର । ସୂଚନା ଅନୁଯାୟୀ, ତପନ ପାତ୍ର ତାଙ୍କ ଭାଇ ସପନ ପାତ୍ର, ଖଇରପଦର ଗ୍ରାମର ଚନ୍ଦନ ପାତ୍ର ଓ କୋକସରା ଥାନା ଅନ୍ତର୍ଗତ ଝାରକୁମୁଡାମାଲ ଗ୍ରାମର ସ୍ମରଣ ପଣ୍ଡାଙ୍କ ସହ ଏକ କାର୍ ଯୋଗେ ଧର୍ମଗଡ଼ରୁ ଛତିଶଗଡ଼ର ରାୟପୁର ଅଭିମୁଖେ ଯାଉଥିଲେ । ତେବେ ବୋଲଧାମାଳ ନିକଟରେ ପହଞ୍ଚିବା ପରେ କାର୍ଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିର ନମ୍ବର CG-04-MW-3974 ବୋଲି ଜଣାପଡ଼ିଛି । ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଆହତମାନଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ଡାକ୍ତର ତପନ ପାତ୍ରଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ତିନି ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଛି । ଖବର ପାଇ ବୋଡ଼େନ ଥାନା ପୋଲିସ ତୁରନ୍ତ କୋମନା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କ ହସ୍ତରେ ସମର୍ପଣ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି ।
ଅନ୍ୟପକ୍ଷେ ରାସ୍ତାର ବେହାଲ ଅବସ୍ଥାକୁ ନେଇ ବଢ଼ୁଛି କ୍ଷୋଭ l ଏହି ଦୁର୍ଘଟଣା ପରେ ପୁଣିଥରେ ବିଜୁ ଏକ୍ସପ୍ରେସ ୱେର ଶୋଚନୀୟ ଅବସ୍ଥା ଚର୍ଚ୍ଚାକୁ ଆସିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଦବିଯାଇ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି । ଫଳରେ ଦୈନିକ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି ଏବଂ ବାରମ୍ବାର ଦୁର୍ଘଟଣା ଘଟୁଛି । ଏତେ ସବୁ ଦୁର୍ଘଟଣା ସତ୍ତ୍ୱେ ସମ୍ପୃକ୍ତ ବିଭାଗ ପକ୍ଷରୁ ରାସ୍ତା ମରାମତି କିମ୍ବା ସୁରକ୍ଷାମୂଳକ ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୁର୍ଘଟଣାପ୍ରବଣ ଏହି ରାସ୍ତାର ତୁରନ୍ତ ମରାମତି ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି ।
