ସୁଧୀର ପାତ୍ର ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସର ବଡ଼ ଆକ୍ସନ: ରାଜସ୍ଥାନରୁ ଆସୁଥିଲେ, ବାଟରେ ଦୁଇ ସୁପାରୀ କିଲରଙ୍କୁ ଏନକାଉଣ୍ଟର !
Ganjam (ଗଞ୍ଜାମ)କବିରାଜ ପାତ୍ର, ପାଲିଟିକାଲ ଖଟି, ଗୋପାଳପୁରMay 26, 202657 views

ସୁଧୀର ପାତ୍ର ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସର ବଡ଼ ଆକ୍ସନ: ରାଜସ୍ଥାନରୁ ଆସୁଥିଲେ, ବାଟରେ ଦୁଇ ସୁପାରୀ କିଲରଙ୍କୁ ଏନକାଉଣ୍ଟର !
ଗଞ୍ଜାମ ଜିଲ୍ଲା ଗୋପାଳପୁରର ବହୁଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ନିର୍ମମ ହତ୍ୟା ଘଟଣାରେ ବ୍ରହ୍ମପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ମାମଲାର ଦୁଇ ପ୍ରମୁଖ ଫେରାର ଅଭିଯୁକ୍ତ ତଥା ସୁପାରୀ କିଲରଙ୍କୁ ଗତକାଲି ବିଳମ୍ବିତ ରାତିରେ ଏନକାଉଣ୍ଟର କରିଛି ପୋଲିସ। ପୋଲିସ କବଜାରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ବ୍ରହ୍ମପୁର ଉପକଣ୍ଠ ରତ୍ନପୁର ନିକଟରେ ଏହି ଗୁଳିବିନିମୟ ଘଟିଛି।
ଅଭିଯୁକ୍ତଙ୍କ ପରିଚୟ: ଆହତ ଦୁଇ ଅଭିଯୁକ୍ତ ହେଲେ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ ଏବଂ ହିଞ୍ଜିଳିକାଟୁ ସିକିରି ଅଞ୍ଚଳର (ସୁରତରେ ରହୁଥିବା) ସରୋଜ ପଣ୍ଡା।
ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରତ୍ନପୁର ଛକ ନିକଟରେ ରାତି ପ୍ରାୟ ୧୨ଟାରେ ଘଟିଛି ଏହି ଏନକାଉଣ୍ଟର।
ବର୍ତ୍ତମାନର ସ୍ଥିତି: ଦୁଇ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ MKCG ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗୋପାଳପୁର ଡିଫେନ୍ସ କଲୋନୀର ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଅପହରଣ ପରେ ଅତି ବର୍ବର ଭାବେ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ରଞ୍ଜନ ଓ ସରୋଜ ଓଡ଼ିଶାରୁ ଫେରାର ହୋଇ ରାଜସ୍ଥାନରେ ଆତ୍ମଗୋପନ କରିଥିଲେ। ବ୍ରହ୍ମପୁର ପୋଲିସର ଏକ ସ୍ପେଶାଲ ଟିମ୍ ସେମାନଙ୍କୁ ରାଜସ୍ଥାନରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣୁଥିଲେ।
ତେବେ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରତ୍ନପୁର ନିକଟରେ ଅଭିଯୁକ୍ତମାନେ ପରିସ୍ରା ଯିବା ବାହାନାରେ ଗାଡ଼ି ଅଟକାଇବାକୁ କହିଥିଲେ। ସେମାନଙ୍କ ସହ ସୁରକ୍ଷା ପାଇଁ ଜଣେ ASI ଏବଂ କନେଷ୍ଟବଳ ଓହ୍ଲାଇଥିବା ବେଳେ, ଦୁଇ ଅଭିଯୁକ୍ତ ଅତର୍କିତ ଭାବେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ଏସଆଇଙ୍କ ସର୍ଭିସ୍ ରିଭଲଭର ଛଡ଼ାଇ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ।
ଅଭିଯୁକ୍ତମାନେ ପୋଲିସ ଉପରକୁ ଫାୟାରିଂ କରିବାରୁ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚାଳନା କରିଥିଲା। ଯେଉଁଥିରେ ରଞ୍ଜନ ଏବଂ ସରୋଜଙ୍କ ଗୋଡ଼ରେ ଗୁଳି ବାଜିଥିଲା ଏବଂ ପୋଲିସ ସେମାନଙ୍କୁ ପୁଣି କାବୁ କରିବାରେ ସଫଳ ହୋଇଥିଲା
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ହତ୍ୟାକାଣ୍ଡ ପଛରେ ପାରିବାରିକ ଶତ୍ରୁତା ଓ ସୁପାରୀ କିଲିଂର ବଡ଼ ଲିଙ୍କ ରହିଥିଲା। ସୁଧୀର ପାତ୍ରଙ୍କ ଝିଆରୀ ନିବେଦିତା ଓ ତାଙ୍କ ପ୍ରେମିକ କାଳୁ ପ୍ରଧାନ ମିଶି ହତ୍ୟାର ସ୍ଲଟ୍ ପ୍ରସ୍ତୁତ କରିଥିଲେ। ଏଥିପାଇଁ ସୁରଟ ଜେଲରେ ଥିବା ସୂର୍ଯ୍ୟ ପ୍ରତାପ ସିଂହ ଓରଫ ଗୋଲୁ ମାଧ୍ୟମରେ ରଞ୍ଜନ ଏବଂ ସରୋଜଙ୍କୁ ସୁଧୀରଙ୍କୁ ରାସ୍ତାରୁ ହଟାଇବା ପାଇଁ କଣ୍ଟ୍ରାକ୍ଟ ଦିଆଯାଇଥିଲା।
ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମ୍ଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ନିକଟରେ ଘଟିଥିବା ବିଭିନ୍ନ ଅପରାଧିକ ମାମଲାରେ ପୋଲିସ ଜଗନ୍ନାଥ ସାହୁ, ମୁକେଶ ସାହୁ ଏବଂ ଦୀପୁନା ନାୟକଙ୍କ ଭଳି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରି ସାରିଥିବା ବେଳେ, ସୁଧୀର ପାତ୍ର ମାମଲାରେ ଏହି ଦୁଇଜଣଙ୍କୁ ମିଶାଇ ଜିଲ୍ଲାରେ ଏନକାଉଣ୍ଟର ସଂଖ୍ୟା ୪ରେ ପହଞ୍ଚିଛି। ଏହି ଆକ୍ସନ ପରେ ସ୍ଥାନୀୟ ଅଞ୍ଚଳରେ ଅପରାଧୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

