ରାଉରକେଲାରେ ଷ୍ଟେଟ ୟୁନିଭରସିଟି ପ୍ରତିଷ୍ଠା ଦାବୀ ତେଜିଲା: ଉଠିଲା ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ପ୍ରଶ୍ନ
Rourkela (ରାଉରକେଲା)କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି, ଓଡିଶାMay 20, 2026133 views

ପଲିଟିକାଲ ଖଟି:(ବ୍ୟୁରୋ): ଇସ୍ପାତ ସହର ରାଉରକେଲାରେ ଏକ ସରକାରୀ ରାଜ୍ୟ ବିଶ୍ୱବିଦ୍ୟାଳୟ (State University) ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ଚାଲିଆସିଥିବା ଦାବି ଏବେ ପୁଣି ତେଜିବାରେ ଲାଗିଛି। ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସଙ୍କ ଆହ୍ୱାନକ୍ରମେ ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ସଚେତନ ନାଗରିକ ମାନେ, ବୁଦ୍ଧିଜୀବୀ ଓ ଯୁବ-ଛାତ୍ର ସଂଗଠନ ଗୁଡ଼ିକ ଏହି ଦାବିକୁ ନେଇ ଏବେ ସ୍ୱର ଶାଣିତ କରିଛନ୍ତି। ସେମାନଙ୍କ କହିବା କଥା, ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଥିବା ଏହି ଅଞ୍ଚଳରେ ଏକ ସରକାରୀ ବିଶ୍ୱବିଦ୍ୟାଳୟ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଯାହା ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି।
ରାଉରକେଲା ଏବଂ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଏକ ସ୍ୱତନ୍ତ୍ର ସରକାରୀ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ବହୁ ପୂର୍ବରୁ ଅନୁଭୂତ ହୋଇଆସୁଛି। ସହରରେ ଏନଆଇଟି (NIT) ଭଳି ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ଥିଲେ ମଧ୍ୟ, ସାଧାରଣ ଓ ମଧ୍ୟବିତ୍ତ ଶ୍ରେଣୀର ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା ଗ୍ରହଣ କରିବା ଏବେ ବି ଏକ ବଡ଼ ଆହ୍ୱାନ ହୋଇ ରହିଛି। ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବାରମ୍ବାର ଦାବିପତ୍ର ଦିଆଯାଇଥିଲେ ସୁଦ୍ଧା, ସରକାରୀ ସ୍ତରରେ ଏ ପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ବୁଦ୍ଧିଜୀବୀଙ୍କ ମତରେ, ଯଦି ରାଉରକେଲାରେ ଏହି ଷ୍ଟେଟ୍ ୟୁନିଭରସିଟି କାର୍ଯ୍ୟକାରୀ ହୁଏ, ତେବେ ଏହା କେବଳ ରାଉରକେଲା ନୁହେଁ, ବରଂ ଆଖପାଖର ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ସମଗ୍ର ସୁନ୍ଦରଗଡ ଜିଲ୍ଲା ଏବଂ ପଡ଼ୋଶୀ ଜିଲ୍ଲା ତଥା ଝାରଖଣ୍ଡ ଓ ଛତିଶଗଡ ଭଳି ରାଜ୍ୟର ହଜାର ହଜାର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଭାଗ୍ୟ ବଦଳାଇ ଦେବ।
ପିଲାମାନଙ୍କୁ ଉଚ୍ଚଶିକ୍ଷା ଓ ଗବେଷଣା ପାଇଁ ଆଉ ଭୁବନେଶ୍ୱର, ସମ୍ବଲପୁର କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ।
ସ୍ଥାନୀୟ ଅଞ୍ଚଳରେ ରୋଜଗାରକ୍ଷମ ଶିକ୍ଷାର ବିକାଶ ହେବ ଏବଂ ଶିଳ୍ପ ସମୃଦ୍ଧ ସହର ହୋଇଥିବାରୁ ପିଲାମାନଙ୍କୁ ସହଜରେ ନିଯୁକ୍ତି ମିଳିପାରିବ।
ରାଉରକେଲାରେ ଶ୍ରେଟ ୟୁନିଭରସିଟି ପ୍ରତିଷ୍ଠା ନେଇ ସରକାର ତୁରନ୍ତ ଘୋଷଣା ନକଲେ ଆଗାମୀ ଦିନରେ ଏହି ଦାବି ଏକ ବଡ଼ ଜନଆନ୍ଦୋଳନର ରୂପ ନେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l
"ଆମ ପିଲାମାନଙ୍କ ପାଖରେ ମେଧା ଅଛି, କିନ୍ତୁ ସୁଯୋଗର ଅଭାବ ରହିଛି। ରାଉରକେଲାରେ ୟୁନିଭରସିଟି ହେଲେ ଏହା ଆଞ୍ଚଳିକ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ।"
