ଋଷ-ୟୁକ୍ରେନ ଯୁଦ୍ଧର ଭୟାବହତା: ୟୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଲେ ଗଞ୍ଜାମର ଓଡ଼ିଆ ଯୁବକ ଏ. ରାମୟା
Ganjam (ଗଞ୍ଜାମ)କବିରାଜ ପାତ୍ର, ଚିକିଟିMay 20, 202650 views

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧର ନିଆଁ ଏବେ ଜଣେ ଓଡ଼ିଆ ପରିବାରର ହସଖୁସିକୁ ଛାରଖାର କରିଦେଇଛି। ୟୁକ୍ରେନ ପକ୍ଷରୁ ମସ୍କୋ ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ଡ୍ରୋନ ଆକ୍ରମଣରେ ଗଞ୍ଜାମ ଜିଲ୍ଲାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଏ. ରାମୟା (୩୦)।
ସୂଚନା ଅନୁଯାୟୀ, ଏ. ରାମୟା ଗତ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେବ ମସ୍କୋ ସ୍ଥିତ ଏକ ଗାଜପ୍ରୋମ୍ ଅଏଲ୍ ରିଫାଇନାରୀ ନିର୍ମାଣ କମ୍ପାନୀରେ ଷ୍ଟ୍ରକଚର ଫିଟର ଭାବେ କାର୍ଯ୍ୟ କରୁଥିଲେ। ଗତ ମହାଶିବରାତ୍ରି ସମୟରେ ସେ ଛୁଟିରେ ଗାଁକୁ ଆସିଥିଲେ ଏବଂ ମାର୍ଚ୍ଚ ୨୨ ତାରିଖରେ ପୁଣି ଋଷ ଫେରିଯାଇଥିଲେ। ଶନିବାର ରାତିରେ ନିଜର ନାଇଟ୍ ଡ୍ୟୁଟି ସାରି ରବିବାର ସକାଳ ପ୍ରାୟ ୫ଟା ସମୟରେ ଅନ୍ୟ ସାଥୀମାନଙ୍କ ସହ ସେ ବସକୁ ଅପେକ୍ଷା କରିଥିବା ବେଳେ ହଠାତ୍ ୟୁକ୍ରେନ ପକ୍ଷରୁ ମସ୍କୋ ଅଞ୍ଚଳକୁ ଲକ୍ଷ୍ୟ କରି ଭୟାବହ ଡ୍ରୋନ ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ଘଟଣାସ୍ଥଳରେ ହିଁ ରାମୟାଙ୍କର ମୃତ୍ୟୁ ହୋଇଥିଲା।
ରାମୟା ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ଚାଷୀ ବାପା ଏ. ନିମା ଓ ମା'ଙ୍କ ସହ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ବିଦେଶ ଯାଇଥିଲେ। ଚଳିତ ବର୍ଷ ତାଙ୍କର ବିବାହ ପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ବଜ୍ରପାତ ସଦୃଶ ଖବର ପୂରା ପରିବାରକୁ ଭାଙ୍ଗି ଚୁରମାର କରିଦେଇଛି। ପୁଅର ମୃତ୍ୟୁ ଖବର ଶୁଣି ମା' ସଂଜ୍ଞାହୀନ ହୋଇପଡ଼ିଥିବା ବେଳେ ସମଗ୍ର ମାଧବନ୍ଧ ଗ୍ରାମରେ କାନ୍ଦବୋବାଲ ଓ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ମୃତଦେହ ଫେରାଇ ଆଣିବାକୁ ପ୍ରଶାସନର ପ୍ରୟାସ:
ଘଟଣା ପରେ ଶୋକସନ୍ତପ୍ତ ପରିବାର ସଦସ୍ୟ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି.ଙ୍କୁ ଭେଟି ରାମୟାଙ୍କ ମୃତଦେହକୁ ଓଡ଼ିଶା ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି। ଜିଲ୍ଲାପାଳ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ,
"ଆମେ ନୂଆଦିଲ୍ଲୀରେ ଥିବା ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ସହ ନିରନ୍ତର ଯୋଗାଯୋଗରେ ଅଛୁ। ସେମାନେ ମସ୍କୋ ସ୍ଥିତ ଭାରତୀୟ ଦୂତାବାସ ସହ କୂଟନୈତିକ ସ୍ତରରେ ଆଲୋଚନା କରୁଛନ୍ତି, ଯେପରି ଯଥାଶୀଘ୍ର ରାମୟାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଅଣାଯାଇପାରିବ।"
ଅପରପକ୍ଷରେ ନୂଆଦିଲ୍ଲୀରେ ଥିବା ଋଷ ଦୂତାବାସ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏହି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ବ୍ୟକ୍ତ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛି। ବର୍ତ୍ତମାନ ପରିବାର ଲୋକେ ମୃତଦେହକୁ ଶେଷ ଦର୍ଶନ କରିବା ପାଇଁ ଚାତକ ଭଳି ଅପେକ୍ଷା କରି ରହିଛନ୍ତି।
