ବନ୍ଧମୁଣ୍ଡା ଫିଟନେସ୍ ପାର୍କ ଏବଂ ବସ୍ତି ଅଞ୍ଚଳର ଉନ୍ନୟନ ପାଇଁ ବିଜେପି ମଣ୍ଡଳ ସଭାପତି ଆର.ଏମ.ସି କମିଶନରଙ୍କୁ ଦେଲେ ସ୍ମାରକପତ୍ର
Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟ, ବନ୍ଧମୁଣ୍ଡାMay 14, 202673 views

ବନ୍ଧମୁଣ୍ଡା ଅଞ୍ଚଳର ବିଭିନ୍ନ ଜନସମସ୍ୟା ଏବଂ ମୌଳିକ ସୁବିଧାକୁ ନେଇ ବନ୍ଧମୁଣ୍ଡା ଭାଜପା ମଣ୍ଡଳ ସଭାପତି ଶ୍ରୀ ଲଖନ ଲୋହାର ଆର.ଏମ.ସି କମିଶନର Ms Dheenah Dastageer ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ର ମାଧ୍ୟମରେ ସେ ବଣ୍ଡାମୁଣ୍ଡା ଫିଟନେସ୍ ପାର୍କରେ ବୃଦ୍ଧବୃଦ୍ଧା ଓ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଆବଶ୍ୟକ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ଦାବି କରିଥିଲେ।
ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପ୍ରତିଦିନ ବହୁ ସଂଖ୍ୟକ ଯୁବକ, ମହିଳା ଓ ବୃଦ୍ଧବୃଦ୍ଧାମାନେ ମର୍ଣ୍ଣିଙ୍ଗ ୱାକ୍ ଓ ବ୍ୟାୟାମ ପାଇଁ ଫିଟନେସ୍ ପାର୍କକୁ ଆସୁଛନ୍ତି। ସନ୍ଧ୍ୟା ସମୟରେ ପାର୍କରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପାର୍କ ପରିସରରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା, ପଦଯାତ୍ରା ପାଇଁ ପାଭର ବ୍ଲକ୍ ବିଛାଇବା ଏବଂ ବୃଦ୍ଧବୃଦ୍ଧାଙ୍କ ବସିବା ପାଇଁ ଚେୟାର ଓ ବେଞ୍ଚ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି।
ଏହାସହ ବନ୍ଧମୁଣ୍ଡା ଅଞ୍ଚଳର ବିଭିନ୍ନ ବସ୍ତି ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍, ରାସ୍ତା ଓ ନାଳା ନିର୍ମାଣ ଦାବି ମଧ୍ୟ ଜୋରଦାର ଭାବେ ଉଠାଯାଇଛି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ, ଅନେକ ବସ୍ତି ଅଞ୍ଚଳରେ ରାସ୍ତା ଓ ନାଳାର ଯଥୋଚିତ ବ୍ୟବସ୍ଥା ନଥିବାରୁ ବର୍ଷା ଦିନରେ ଲୋକମାନେ ଭାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାସହ ରାତି ସମୟରେ ପର୍ଯ୍ୟାପ୍ତ ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ଦୁର୍ଘଟଣା ଓ ଅସୁରକ୍ଷାର ଆଶଙ୍କା ବଢ଼ୁଛି।
ଭାଜପା ବନ୍ଧମୁଣ୍ଡା ମଣ୍ଡଳ ସଭାପତି ଶ୍ରୀ ଲଖନ ଲୋହାର ନଗର ନିଗମ ପ୍ରଶାସନକୁ ଜନହିତକୁ ଦୃଷ୍ଟିରେ ରଖି ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବା ସହ ଉଭୟ ଦାବି ଉପରେ ସକାରାତ୍ମକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।
ଏହି ଅବସରରେ ଭାଜପା ବନ୍ଧମୁଣ୍ଡା ମଣ୍ଡଳର ମହାସଚିବ ଏଲ୍. ହରି ଡୋରା, ଶକ୍ତି କେନ୍ଦ୍ର ପ୍ରମୁଖ ସତ୍ୟଜିତ ପ୍ରଧାନ, ମୁକଲେଶ ସିଂହ ଏବଂ ଦେବେନ୍ଦ୍ର ଦାସ ଉପସ୍ଥିତ ଥିଲେ।
