08:57:17
Apr 15
Srishti News

ଲକ୍ଷାଧିକ ଦର୍ଶକର ଭିଡ଼ରେ ଝୁମିଲା ସିନାପାଲି: ଉଦନ୍ତୀ ମହୋତ୍ସବ ଉଦଯାପିତ

Nuapada (ନୂଆପଡ଼ା)ମଳୟ ମେହେର, ସ୍ରିଷ୍ଟି ନିୟୁଜ, ସିନାପାଲିMarch 30, 2026124 views
ଲକ୍ଷାଧିକ ଦର୍ଶକର ଭିଡ଼ରେ ଝୁମିଲା ସିନାପାଲି: ଉଦନ୍ତୀ ମହୋତ୍ସବ ଉଦଯାପିତ
ସିନାପାଲି: ଉଦନ୍ତୀ ନଦୀ ଧାର ସିନାପାଲି ସହରରେ ତିନି ଦିନ ଧରି ଚାଲିଥିବା କଳା, ସାହିତ୍ୟ ଓ ସଂସ୍କୃତିର ମହାଉତ୍ସବ ଉଦନ୍ତୀ ମହୋତ୍ସବ ସିନାପାଲି ୨୦୨୬ ଅତ୍ୟନ୍ତ ଭବ୍ୟ ଓ ଗରିମାମୟ ଭାବରେ ସମାପନ ହୋଇଛି । ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ତ୍ରିଦିବସୀୟ ଉତ୍ସବ ହଜାର ହଜାର ଦର୍ଶକଙ୍କ ହୃଦୟକୁ ବାନ୍ଧି ରଖି ଏକ ସ୍ମରଣୀୟ ଅନୁଭବ ଦେଇଛି । ଶେଷ ସନ୍ଧ୍ୟାରେ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଉତ୍ସବକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇଥିଲା । ମହୋତ୍ସବର ଶେଷ ଦିନଟି ଥିଲା ସତରେ ଏକ “ଷ୍ଟାର ନାଇଟ”। ସମ୍ବଲପୁରୀ ସଙ୍ଗୀତ ଜଗତର ପ୍ରସିଦ୍ଧ ଗାୟକ ଉମାକାନ୍ତ ବାରିକଙ୍କ ମନମୋହନୀ ସୁର ଓ ତାଳରେ ସମଗ୍ର ଜନସମାଗମ ଝୁମିଉଠିଥିଲା । ତାଙ୍କର ସ୍ୱରର ମାୟା ଦର୍ଶକମାନଙ୍କୁ ମନମୁଗ୍ଧ କରିଦେଇଥିଲା । ଏହା ସହ ଓଡ଼ିଆ ଅଭିନେତ୍ରୀ ସୁଚରିତା ସ୍ୱାଇଁ ତାଙ୍କ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନରେ ମଞ୍ଚକୁ ରଙ୍ଗିନ କରିଥିଲେ । ହାସ୍ୟ ଅଭିନେତା ଟୁକୁନା ତାଙ୍କ ହାସ୍ୟରସରେ ପ୍ରେକ୍ଷକମାନଙ୍କୁ ହସି ହସି ଲୁହ ଆଣିଦେଇଥିଲେ ।ଏହି ମହୋତ୍ସବ କେବଳ ମନୋରଞ୍ଜନରେ ସୀମିତ ନୁହେଁ, ବରଂ ଲୋକକଳା ଓ ପାରମ୍ପରିକ ସଂସ୍କୃତିର ଏକ ସଜିବ ମଞ୍ଚ ରୂପେ ପରିଣତ ହୋଇଥିଲା । ବିଭିନ୍ନ ଲୋକନୃତ୍ୟ ଓ ଲୋକସଙ୍ଗୀତର ଅପୂର୍ବ ପ୍ରଦର୍ଶନ ଦର୍ଶକମାନଙ୍କୁ ମୂଳ ମାଟିର ସୁଗନ୍ଧ ଅନୁଭବ କରାଇଥିଲା । ଗାଁର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଏକ ସୁନ୍ଦର ପ୍ରତିଛବି ମଞ୍ଚରେ ଜୀବନ୍ତ ହୋଇଉଠିଥିଲା । ଶେଷ ଦିନର ଅନୁଷ୍ଠାନରେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ ଓ ପରିଚୟ ପ୍ରଦାନ କରିଥିଲେ ଉପସଭାପତି ଶ୍ରୀ ମନୋରଞ୍ଜନ ମେହେର । ଗାୟତ୍ରୀ ଶକ୍ତିପୀଠ, ସିନାପାଲିଙ୍କ ଦ୍ୱାରା ଦେବପୂଜନ ଓ ବେଦପାଠରେ ଅନୁଷ୍ଠାନର ଆରମ୍ଭ ହୋଇଥିଲା । ସିନାପାଲି ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପ୍ରାରମ୍ଭିକ ସଙ୍ଗୀତ ଅନୁଷ୍ଠାନକୁ ଏକ ଗମ୍ଭୀର ମାହୋଲ ଦେଇଥିଲା । ସଭାପତି ଶ୍ରୀ ବୈଶମ୍ପାୟନ ମେହେରଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ସୁଚାରୁ ଭାବେ ପରିଚାଳିତ ହୋଇଥିଲା । ବିବରଣୀ ପଠନ କରିଥିଲେ ଶ୍ରୀ ସନ୍ତୋଷ କୁମାର ବାଗ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସୁନିୟୋଜିତ କରିଥିଲେ ଶ୍ରୀ ଗୌତମ ମେହେର । ମାନପତ୍ର ପଠନ ମାଧ୍ୟମରେ ସ୍ମୃତିରେ ରହିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳର ବିଧାୟକ ଶ୍ରୀ ଅଧୀରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ରହି ସଂସ୍କୃତିର ସୁରକ୍ଷା ଓ ପ୍ରଚାରରେ ଏପରି ମହୋତ୍ସବର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ବସନ୍ତ କୁମାର ପଣ୍ଡା ସହ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗଦେଇଥିଲେ । ପୁରସ୍କାର ବିତରଣ ଓ ସ୍ମୃତିଚିହ୍ନ ପ୍ରଦାନ ମାଧ୍ୟମରେ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ କୋଷାଧକ୍ଷ୍ୟ ଶ୍ରୀ ଦିବ୍ୟ ରଞ୍ଜନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।୨୧ତମ ଉଦନ୍ତୀ ମହୋତ୍ସବ କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ଏକ ଅମୂଲ୍ୟ ପରମ୍ପରାକୁ ଆଉ ଏକ ପଦକ୍ଷେପ ଆଗକୁ ବଢ଼ାଇ ଦେଇଛି । ଏହି ମହୋତ୍ସବ ନା କେବଳ ଏକ ଉତ୍ସବ, ବରଂ ଏକ ଆତ୍ମୀୟତାର ସେତୁ, ଯେଉଁଠାରେ ମନ ଓ ମାଟି ମିଶିଯାଏ । ଏବେ ଅପେକ୍ଷା, ଆସନ୍ତା ବର୍ଷରେ ଆଉ ଏକ ନୂତନ ଆୟାମରେ ଫେରିବାକୁ ଯାଉଥିବା ଉଦନ୍ତୀ ମହୋତ୍ସବକୁ |