--:--:--
-- ---
Srishti News

ପ୍ରସ୍ତୁତି ଶେଷ ପର୍ଯ୍ୟୟରେ, ଆଜିଠାରୁ ଆରମ୍ଭ ଉଦନ୍ତୀ ମହୋତ୍ସବ–୨୦୨୬

Nuapada (ନୂଆପଡ଼ା)ମଳୟ ମେହେର, ସିନାପାଲି (ସ୍ରିଷ୍ଟି ନିୟୁଜ)March 27, 2026164 views
ପ୍ରସ୍ତୁତି ଶେଷ ପର୍ଯ୍ୟୟରେ, ଆଜିଠାରୁ ଆରମ୍ଭ ଉଦନ୍ତୀ ମହୋତ୍ସବ–୨୦୨୬
ନୂଆପଡା-ସିନାପାଲି: କଳା, ସାହିତ୍ୟ ଓ ସଂସ୍କୃତିର ଅଦ୍ଭୁତ ସମାଗମ “ଉଦନ୍ତୀ ମହୋତ୍ସବ–୨୦୨୬” ପାଇଁ ସିନାପାଲି ଅଞ୍ଚଳରେ ଉତ୍ସାହ ଓ ଆନନ୍ଦର ମହଲ ସୃଷ୍ଟି ହୋଇଛି । ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟୟକୁ ପହଁଞ୍ଚି ସାରିଥିବା ବେଳେ, ମଞ୍ଚ ସଜାଣା, ମିନାବଜାର, ଆଲୋକ ସଜ୍ଜା ସହ ଅନ୍ୟାନ୍ୟ ବ୍ୟବସ୍ଥା ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ । ସିନାପାଲିର ଲୋକମାନେ ବର୍ଷଭରି ଯେଉଁ ପର୍ବକୁ ଅପେକ୍ଷା କରି ରହନ୍ତି, ସେହି ପ୍ରିୟ ଉତ୍ସବ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଧୁମଧାମରେ ପାଳିତ ହେବ । ଏହି ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ଏହା ଅଞ୍ଚଳର ସାମୁଦାୟିକ ଏକତା, ପରମ୍ପରା ଓ ସୃଜନଶୀଳତାର ପ୍ରତିବିମ୍ବ । ଉଦନ୍ତୀ ମହୋତ୍ସବ ଏକ ଏମିତି ମଞ୍ଚ ଯେଉଁଠାରେ ନୂତନ ପ୍ରତିଭାମାନେ ନିଜର କୌଶଳ ପ୍ରଦର୍ଶନ କରି ଆଗକୁ ବଢ଼ିବାର ଅବସର ପାଆନ୍ତି । କଳାକାରମାନଙ୍କ ପାଇଁ ଏହା ଗୌରବର ମଞ୍ଚ, ଯେଉଁଠାରେ ସେମାନେ ନିଜର କଳାକୌଶଳ ଦ୍ୱାରା ଦର୍ଶକମାନଙ୍କ ହୃଦୟ ଜିତନ୍ତି । ବିଶେଷ କରି ଆସନ୍ତା ୨୯ ତାରିଖରେ ଆୟୋଜିତ “ଷ୍ଟାର ନାଇଟ” କାର୍ଯ୍ୟକ୍ରମରେ ସୁପରଷ୍ଟାର ସିଙ୍ଗର ଉମାକାନ୍ତ ବାରିକଙ୍କ ଅର୍କେଷ୍ଟ୍ରା ପ୍ରଦର୍ଶନ ମହୋତ୍ସବର ଆକର୍ଷଣକୁ ଅଧିକ ଉଚ୍ଚସୀମାକୁ ନେବ ବୋଲି ଆଶା କରାଯାଉଛି । ସଙ୍ଗୀତର ମାୟାରେ ଦର୍ଶକମାନେ ମନମୋହିତ ହେବେ ବୋଲି ଆୟୋଜକମାନେ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ଉଦନ୍ତୀ ମହୋତ୍ସବ ପାଳନ କମିଟି–୨୦୨୬ର ସଭାପତି ଶ୍ରୀ ପ୍ରିୟ ରଞ୍ଜନ ମେହେରଙ୍କ ନେତୃତ୍ୱରେ ଏହି ଆୟୋଜନ ହେଉଥିବା ବେଳେ, ଉପସଭାପତି ଶ୍ରୀ ରଜନୀକାନ୍ତ ମାଝୀ, ଶ୍ରୀ ଅଜିତ କୁମାର ଯୋଶୀ ଓ ଶ୍ରୀ ମନୋରଞ୍ଜନ ମେହେରଙ୍କ ସହଯୋଗ ଲୋକପ୍ରଶଂସନୀୟ । ସମ୍ପାଦକ ଶ୍ରୀ ସୁରଜ ମେହେର ଓ ସହ ସମ୍ପାଦକମାନେ ଶ୍ରୀ ବଂଶୀଧର ଜଗତ, ଶ୍ରୀ ଜିତୁ ମେମେର ଓ ଶ୍ରୀ ସୁଶାନ୍ତ ନାଏକ ଏହି ମହୋତ୍ସବକୁ ସଫଳ କରିବାରେ ଅନୁରତ ଅଟନ୍ତି । କୋଷାଧ୍ୟକ୍ଷ ଶ୍ରୀ ଦିବ୍ୟ ରଞ୍ଜନ ନାଏକ ମଧ୍ୟ ଆର୍ଥିକ ବ୍ୟବସ୍ଥାପନାରେ ସଚେତନ ଭୂମିକା ନିଭାଉଛନ୍ତି । ଉଦନ୍ତୀ ମହୋତ୍ସବ କେବଳ ଉତ୍ସବ ନୁହେଁ, ଏହା ଆମର ସଂସ୍କୃତି, ପରମ୍ପରା ଓ ସାମୁଦାୟିକ ଏକତାର ଉତ୍ସବ । ଏହା ଯୁବପିଢ଼ୀକୁ ପ୍ରେରଣା ଦେଇଥାଏ, କଳାକୁ ସମ୍ମାନ ଦେଇଥାଏ ଓ ଆମ ଐତିହ୍ୟକୁ ଜୀବନ୍ତ ରଖେ । ସିନାପାଲି ଏବେ ଉତ୍ସବର ରଙ୍ଗରେ ରଙ୍ଗାଇବା ଆରମ୍ଭ କରିବ , ଏବଂ ଆସନ୍ତା ତିନି ଦିନ ଧରି ଏହି ଆନନ୍ଦ ଧାରା ଜାରି ରହିବ ।