09:21:49
Apr 19
Srishti News

ରାୟଗଡ଼ାରେ ସ୍କୁଲ ନିର୍ମାଣରେ ଅନିୟମିତତା ଅଭିଯୋଗ: ବିଲ ଟଙ୍କା ଜାରି ହେଲେ ମଧ୍ୟ ଠିକାଦାରଙ୍କୁ ମିଳୁନି ପାଇସା

Rayagada (ରାୟଗଡ଼ା)ନିରଞ୍ଜନ ପୂଜାରୀ, ଗୁଡ଼ାରୀMarch 17, 2026157 views
ରାୟଗଡ଼ାରେ ସ୍କୁଲ ନିର୍ମାଣରେ ଅନିୟମିତତା ଅଭିଯୋଗ: ବିଲ ଟଙ୍କା ଜାରି ହେଲେ ମଧ୍ୟ ଠିକାଦାରଙ୍କୁ ମିଳୁନି ପାଇସା
ରାୟଗଡ଼ାରେ ସ୍କୁଲ ନିର୍ମାଣରେ ଅନିୟମିତତା ଅଭିଯୋଗ: ବିଲ ଟଙ୍କା ଜାରି ହେଲେ ମଧ୍ୟ ଠିକାଦାରଙ୍କୁ ମିଳୁନି ପାଇସା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବିଜାପୁର ଗ୍ରାମ ପଞ୍ଚାୟତରେ ଥିବା ଏକ ପ୍ରାଥମିକ ସ୍କୁଲ ନିର୍ମାଣ କାମକୁ ନେଇ ଗଭୀର ଅନିୟମିତତାର ଅଭିଯୋଗ ଉଠିଛି। ଏହି ପୁରୁଣା ସ୍କୁଲର ଟିଣ ଛାଦ ପବନରେ ଉଡ଼ିଯାଇଥିବାକୁ ୧୮ ମାସ ହେଲାଣି, ଯାହାର ଫଳରେ ଛାତ୍ରଛାତ୍ରୀମାନେ ଅସୁବିଧାରେ ପଢ଼ୁଛନ୍ତି। ସୂଚନା ଅନୁସାରେ, ନୂତନ ସ୍କୁଲ ନିର୍ମାଣ କାମ ପ୍ରାୟ ଏକ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଓ ଛାତ ଲେବେଲ ପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇଥିଲା। ଏହି କାମକୁ ଠିକାଦାର ସୋମନାଥ ନନ୍ଦ କରିଥିବା ବେଳେ, ୨୧ ଅକ୍ଟୋବର ୨୦୨୪ ରେ ୫,୨୫,୪୮୧ ଟଙ୍କାର ବିଲ ହୋଇଥିଲା। କିନ୍ତୁ ଅଭିଯୋଗ ଅନୁଯାୟୀ, ଏହି ଟଙ୍କା ଜୁନିୟର ଇଞ୍ଜିନିୟର ବିକାଶ ଚନ୍ଦ୍ର ମହାପାତ୍ରଙ୍କ ଖାତାକୁ ଯାଇଥିଲେ ମଧ୍ୟ ଠିକାଦାରଙ୍କୁ ପୂରା ପରିମାଣ ମିଳିନାହିଁ। ଠିକାଦାରଙ୍କ କହିବା ଅନୁସାରେ, ପିସି (PC) ନାମରେ ଟଙ୍କା କଟାଯାଉଛି ଏବଂ ପ୍ରାୟ ୧୬,୦୦୦ ଟଙ୍କା ପ୍ରତି ଲକ୍ଷରେ କମିସନ ହେଉଥିବା ଅଭିଯୋଗ ରହିଛି। ଏହି ସମସ୍ୟା ନେଇ ସେ ଗ୍ରିଭେନ୍ସ ମାଧ୍ୟମରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହାସହ ଏହି ଅଭିଯୋଗ ଡିପିସି (DPC) ଓ ପ୍ରକଳ୍ପ ନିର୍ଦ୍ଦେଶକ (PD)ଙ୍କୁ ଜଣାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଚନ୍ଦ୍ରପୁର ବ୍ଲକ ବିଡିଓ (BDO)ଙ୍କ ସମ୍ମୁଖରେ ମଧ୍ୟ ଲିଖିତ ଅଭିଯୋଗ ଦିଆଯାଇଥିଲା ଓ ୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଶ୍ୱାସନ ଦିଆଯାଇଥିଲା, କିନ୍ତୁ ସେଥିରେ କୌଣସି ଅଗ୍ରଗତି ହୋଇନାହିଁ। ପୁନଃ ୨୪ ଫେବୃଆରୀ ୨୦୨୬ ରେ ଗ୍ରିଭେନ୍ସ ଶୁଣାଣି ସମୟରେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଓ ଟଙ୍କା ଦେବାକୁ ଅସ୍ବୀକାର କରାଯାଇଥିବା ଅଭିଯୋଗ ଆସିଛି। ଠିକାଦାରଙ୍କ ଅଭିଯୋଗ ଅନୁସାରେ, ଏପରି ଅନିୟମିତତା କେବଳ ଏହି ସ୍କୁଲରେ ନୁହେଁ, ବହୁତ ସ୍କୁଲ ନିର୍ମାଣ କାମରେ ମଧ୍ୟ ହେଉଛି ଓ ଅନେକ ଲୋକ ହଇରାଣ ହେଉଛନ୍ତି। କିଛି ଲୋକ ଭବିଷ୍ୟତରେ କାମ ନ ମିଳିବା ଭୟରେ ଅଭିଯୋଗ କରିବାକୁ ଭୟ କରୁଛନ୍ତି ବୋଲି ସେ କହିଛନ୍ତି। ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି, ସରକାରୀ ଯୋଜନାର ଟଙ୍କା କେଉଁଠି ଯାଉଛି ଓ କେବେ ଏହାର ନିଷ୍ପକ୍ଷ ତଦନ୍ତ ହେବ। ଏହି ଘଟଣା ଉପରେ ତଦନ୍ତ କରି ଦୋଷୀଙ୍କୁ କଠୋର ଶାସ୍ତି ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।