ତିଖାଲି ଡ୍ୟାମ୍ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ: ୧୩ରୁ ତିନିଦିନ କଳା-ସଂସ୍କୃତି ର ପର୍ବ
Nuapada (ନୂଆପଡ଼ା)ମଳୟ ମେହେର, ପଲିଟିକାଲ ଖଟି, ଖଡ଼ିଆଳMarch 12, 2026138 views

ନୂଆପଡା, ଖଡ଼ିଆଳ : ନୂଆପଡା ଜିଲ୍ଲାର ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ତିଖାଲି ଡ୍ୟାମ୍ ଠାରେ ଆସନ୍ତା ୧୩ ତାରିଖରୁ ୧୫ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଭବ୍ୟ ତିଖାଲି ଡ୍ୟାମ୍ ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ଏହି ମହୋତ୍ସବ ମାଧ୍ୟମରେ ଅଞ୍ଚଳର ଲୋକକଳା, ସାହିତ୍ୟ, ଏଇତିହ୍ୟ ଓ ପୁରାତନ ପରମ୍ପରାକୁ ଆଗକୁ ଆଣିବା ସହ ଲୁଚିଯାଉଥିବା ଲୋକ କଳାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟ ରହିଛି । ମହୋତ୍ସବ ପାଇଁ ମଞ୍ଚ ସଜା, ପରିସର ସୁନ୍ଦରୀକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ସହ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟୟକୁ ପହଁଚି ସାରିଛି । ଏହାକୁ ନେଇ ଆଜି ସନ୍ଧ୍ୟାରେ ତିଖାଲି ଡ୍ୟାମ୍ ମହୋତ୍ସବ ମଞ୍ଚ ପରିସରରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ଉପାଧ୍ୟକ୍ଷ ଓ ମହୋତ୍ସବ କମିଟି ସଭାପତି ଗୌତମ ତାଣ୍ଡି ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ବ୍ୟବସ୍ଥା ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ସାଧାରଣ ସମ୍ପାଦକ ପରମେଶ୍ବର ବାରିକ, ଉପସଭାପତି ରମେଶ ଠାକୁର, ଦଶମୁ ବେହେରା, ଶ୍ୟାମସୁନ୍ଦର କୁଲଦୀପ ଓ କୋଷାଧ୍ୟକ୍ଷ ବାପିନା ସାହୁ ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ମହୋତ୍ସବକୁ ସଫଳ କରିବା ପାଇଁ ମତାମତ ପ୍ରଦାନ କରିଥିଲେ । ଏଥିସହ ସହ-ସମ୍ପାଦକ ହେରାମ୍ବ ଶବର, କୁନାଲ ଚରଣ ବେହେରା, ନରେଶ ମହାରଥା, ସରପଞ୍ଚ ଜିତୁ କୁମାର, ସରପଞ୍ଚ କୁନୁ ଚରଣ ବେହେରା ଓ ଅନେକ ସଦସ୍ୟ ଓ ସ୍ବେଚ୍ଛାସେବୀ ବୈଠକରେ ଯୋଗଦେଇଥିଲେ । ଏହି ଲୋକ ମହୋତ୍ସବରେ ବିଭିନ୍ନ ଲୋକନୃତ୍ୟ, ଲୋକସଙ୍ଗୀତ, ସାହିତ୍ୟ ସଭା ସହ ମିନାବଜାର ଓ ସ୍ଥାନୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜିତ ହେବ । ଏହା ମାଧ୍ୟମରେ ଅଞ୍ଚଳର ପ୍ରତିଭାଶାଳୀ କଳାକାରମାନେ ନିଜ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇବେ ଓ ଲୋକପରମ୍ପରାକୁ ନୂତନ ପିଢ଼ି ପର୍ଯ୍ୟନ୍ତ ପହଁଚାଇବାର ଏକ ସୁନ୍ଦର ପ୍ରୟାସ ହେବ ।ମହୋତ୍ସବକୁ ସୁରୁଖୁରୁରେ ଓ ଆକର୍ଷଣୀୟ ଭାବରେ ସମ୍ପନ୍ନ କରିବା ପାଇଁ ସମସ୍ତ ସଦସ୍ୟ ଓ ସ୍ବେଚ୍ଛାସେବୀମାନେ ଏକତ୍ରିତ ଭାବରେ ପ୍ରୟାସ ଜାରି ରଖିଛନ୍ତି । ତିଖାଲି ଡ୍ୟାମ୍ ପରିସରରେ ମଞ୍ଚ ମରାମତି ଓ ସଜା କାମ ମଧ୍ୟ ଶେଷ ପର୍ଯ୍ୟୟକୁ ପହଁଚି ସାରିଥିବାରୁ ଅଞ୍ଚଳରେ ମହୋତ୍ସବ ପାଇଁ ଉତ୍ସାହ ଓ ଆନନ୍ଦର ମହଳ ଦେଖାଯାଉଛି । ଏହି ମହୋତ୍ସବ ଅଞ୍ଚଳର କଳା, ସାହିତ୍ୟ ଓ ସଂସ୍କୃତିକୁ ନୂତନ ମଞ୍ଚ ଦେବା ସହ ଲୁଚିଯାଉଥିବା ଲୋକ କଳାକୁ ବଞ୍ଚାଇ ରଖିବାରେ ଏକ ପ୍ରେରଣାଦାୟକ ପଦକ୍ଷେପ ଭାବେ ପରିଗଣିତ ହେବ ।

