ଅଭିଯୋଗ ଶୁଣାଣି, ହିତାଧିକାରୀଙ୍କୁ ସହାୟତା
Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀMarch 10, 2026151 views

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସୋମବାର ଜିଲ୍ଲାପାଳ ମହେଶ୍ଵର ସ୍ବାଇଁ ଏବଂ ଏସ୍ପି ମଡକର ସନ୍ଦୀପ ସମ୍ପଦଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ସିଡିଓ ବିରଞ୍ଚୁ ନାରାୟଣ ଦରୱାନ, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ବିଡିଓ ମଧୁସୂଦନ ମାଝୀଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୩୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ଓ ୮ ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ଗୋଟିଏ ଅଭିଯୋଗର ତତ୍କ୍ଷଣାତ ସମାଧାନ କରାଯାଇଥିଲା। ସାମାଜିକ ସୁରକ୍ଷା ବିଭାଗ ତରଫରୁ ଚିହ୍ନଟ ଦିବ୍ୟାଙ୍ଗମାନଙ୍କୁ ୮ ହୁଇଲ ଚେୟାର ଓ ୨ଟି ଟ୍ରାଇ ସାଇକଲ ପ୍ରଦାନ କରାଯାଇଛି।
ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ସହାୟତା ପାଇଥିବା ହିତାଧିକାରୀମାନେ। ବିଭିନ୍ନ କାରଣରୁ ଅଙ୍ଗହୀନ ହୋଇଥିବା ୨ ଜଣ ଦିବ୍ୟାଙ୍ଗଙ୍କୁ କୁତ୍ରିମ ଅଙ୍ଗ ପ୍ରଦାନ ନିମନ୍ତେ ମାପ ନିଆଯାଇଛି। ସେଭଳି ବିଭିନ୍ନ କାରଣରୁ ଆହତ ଏବଂ ଅକ୍ଷମ ୧୩ଜଣ ରୋଗୀଙ୍କୁ ଉତ୍ତମ ଶାରୀରିକ ଚିକିତ୍ସା ନିମନ୍ତେ ଉନ୍ନତ ପୁନର୍ବାସ କେନ୍ଦ୍ରରେ ଯନ୍ତ୍ରଣା ଉପଶମ ଓ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।
